ଖୁସି ଲାଗେ !!!
ଯେତେବେଳେ କିଛି କନ୍ଧ ଓ ଆଦିବାସୀ ସମ୍ପ୍ରଦାୟ ର ସଭା ମଞ୍ଚରେ, ଶୁଣାବାକୁ ମିଳେ, ଆମେ ଆଦିବାସୀ, ଆମେ ମୂଲନିବାସୀ ଏବଂ ବାରମ୍ବାର ଏହି ଶବ୍ଦ କୁ ପୁନରାବୃତ୍ତି କରାଯାଏ ।
ହେଲେ ଏମିତି ବି କିଛି ବିଷୟ ରହିଛି ଯାହା ମନ ଭିତରେ ଦୁଃଖ ସୃଷ୍ଟି କରେ !
ମୁଁ ମୋ ଘର ପରିବାର ବିଷୟରେ ନୁହେଁ ସମ୍ପୂର୍ଣ୍ଣ କନ୍ଧ ଆଦିବାସୀ ସମ୍ପ୍ରଦାୟ ଉପରେ ଆଲୋକପାତ କରିବି।
ଆମ ସମାଜରେ ପଣ୍ଡିତ ମାନଙ୍କ ଦ୍ବାରା ଓ ତାଙ୍କ ରୀତିନୀତି ରେ ୯୦ ପ୍ରତିଶତ କର୍ମ କାଣ୍ଡ ପୂଜା ବିଧି ହେଉଛି ।
ତେବେ ଆମେ କେବେ ଭାବିଛୁ କି, ଆମର ଇଷ୍ଟ କୁହାଯାଉଥିବା ଜାଡେନ୍ ବୁଢା ଓ ଜାଡେନ୍ ବୁଢି ର ଧରନୀ ଖୁଣ୍ଟ କେଉଁ ବ୍ରାହ୍ମଣ ଦ୍ଵାରା ସ୍ଥାପିତ ହୋଇଥିଲା ?
ସେହି ସମୟରେ ଜାନୀ ଯେଉଁ ଠାରେ ଧରନୀ ସ୍ଥାପନ କରୁଥିଲେ ସେହି ସ୍ଥାନରେ ଗାଁ ସୃଷ୍ଟି ହେଲା ଏବଂ ଆଜି ବି ସେଇ ଗାଁ ସବୁ ଅକ୍ଷତ ଅବସ୍ଥାରେ ଚାଲିଛି । ଏସବୁ ଗାଁ କୈାଣସି ବ୍ରାହ୍ମଣ ଦ୍ଵାରା ତିଆରି ହୋଇନାହିଁ ।
ତେବେ ଆମେ କେଉଁ ଶକ୍ତି କୁ ଭୟ କରୁଛୁ ଏବଂ ପଣ୍ଡିତ ମାନଙ୍କ ଦ୍ୱାରା ହିଁ ସବୁ କର୍ମ କାଣ୍ଡ ପୂର୍ଣ୍ଣ କରୁଛୁ ?
ଅଥବା ଆଦିବାସୀ କନ୍ଧ ନେତା ମାନେ କାହିଁକି ସମ୍ପୂର୍ଣ୍ଣ କନ୍ଧ ଶୈଳୀରେ ଶୁଭ କର୍ମ ସବୁ କରିବା ପାଇଁ କନ୍ଧ ସମାଜରେ ଉପଯୁକ୍ତ ନିୟମ ଲାଗୁ କରୁ ନାହାନ୍ତି ?
କ’ଣ ଆମ କନ୍ଧ ନେତା ମାନେ ହିଁ ବ୍ରାହ୍ମଣ ବାଦକୁ ସମର୍ଥନ କରୁ ନାହାନ୍ତି ତ ?
ଆମେ କନ୍ଧ ଆଦିବାସୀ ନିଜର ଇଷ୍ଟ ଧରନୀ ଖୁଣ୍ଟ କୁ ଛାଡି ବ୍ରାହ୍ମଣ ବାଦି ହୋଇ ବ୍ରାହ୍ମଣୀ ପରମ୍ପରା ପଛରେ ଧାଉଁଛୁ । ହେଲେ ଆମ ଘର ଏବଂ ଗାଁ ରେ ଆମ କନ୍ଧ ଭାଷା ରେ ପୂଜା, ଜାନୀ ଯାତ୍ରା ହୋଇ ଆସୁଥିଲା, ତାହା ଏବେ ଧିରେଧିରେ ଲୋପ ପାଇବାକୁ ବସିଲାଣି ।
ଆଜି କନ୍ଧ ସମ୍ପ୍ରଦାୟ ନିଜ ସଂସ୍କୃତି-ପରମ୍ପରା ରୁ ଦୂର କୁ ଯିବାରେ ଲାଗିଛି, ନିଜର ପାରମ୍ପରିକ ପୂଜା ପର୍ବ କୁ ଛାଡି ବୋଲବମ୍, କୀର୍ତ୍ତନ ପଛରେ ଧାଉଁଛି । ଯାହାର ଏ କନ୍ଧ ସମ୍ପ୍ରଦାୟର ସଂସ୍କୃତି ପରମ୍ପରା ସହିତ ହଜାର ହଜାର ବର୍ଷରୁ କୈାଣସି ସମ୍ପର୍କ ହିଁ ନାହିଁ | ଆମର ପୂର୍ବପୁରୁଷ ଙ୍କୁ କନ୍ଧାନ୍ ପରମ୍ପରାରେ ଚଳିବାରେ କୈାଣସି ସମସ୍ୟା ହେଉନଥିଲା, ହେଲେ ଆଜି ଆମେ ଶିକ୍ଷିତ ହେଲା ପରେ କେମିତି ଆମକୁ ଅସୁବିଧା ହେଉଛି ?
ମୋ ଲେଖା ପଢି ଅନେକ ଉଚ୍ଚ ଶିକ୍ଷିତ ପରିହାସ କରୁଥିବେ ।
ହେଲେ ଆଜି ଆମେ ଶିକ୍ଷିତ ହେଲା ପରେ ଆମ ପ୍ରକୃତ କନ୍ଧ ସଂସ୍କୃତି ପରମ୍ପରା କୁ ଛାଡି, କ’ଣ ଆମେ ବ୍ରାହ୍ମଣ ଜାତି ର ହୋଇ ପାରିବା କି ?
ବ୍ରାହ୍ମଣ କ’ଣ ଆମକୁ ଆଦିବାସୀ ନ କହି ତାଙ୍କ ବ୍ରାହ୍ମଣ ଜାତି ର ମର୍ଯ୍ୟାଦା ଦେଇ ପାରିବେ କି ?
ବ୍ରାହ୍ମଣ ପଦ୍ଧତିରେ ପୂଜା ପାଠ କଲେ ଆମର ପୂର୍ବପୁରୁଷ ଓ ଦେବାଦେବୀ ଆମର ଦେଉଥିବା ପୂଜା ପାଇ ପାରିବେ କି ?
ବ୍ରାହ୍ମଣ ଆମ ଧରନୀ ରେ ପୂଜା କରି ପାରିବ କି ?
ଯଦି ନୁହେଁ !!
ତେବେ ଏ କନ୍ଧ ସମ୍ପ୍ରଦାୟ ଆଜି ବାଟବଣା କାହିଁକି ?
ଜନ୍ମ, ମୃତ୍ୟୁ, ବିବାହ କାର୍ଯ୍ୟ ସବୁ ସମ୍ପାଦନା କରିବା ପାଇଁ କନ୍ଧ ସମ୍ପ୍ରଦାୟରେ ସ୍ୱତନ୍ତ୍ର ନିତି ଅଛି, ହେଲେ ଆମେ କାହିଁକି ତାହା ପାଳନ କରୁନାହୁଁ ?
ଯଦି ସରକାର ଭବିଷ୍ୟତ ରେ ନକଲି ଆଦିବାସୀ ପାଇଁ servey କରେ, ସେତେବେଳେ ଏହି ଆଦିବାସୀ costumery law କୁ ଧରି ହିଁ servey କରବେ, ଏବଂ ଏହି costumery law ହିଁ ଆମ ପରିଚୟ । ତେବେ ଯଦି ତାହା ଆମ ପାଖରେ ସରକାର ପାଇବେ ନାହିଁ ତେବେ ଆମକୁ ନକଲି ଆଦିବାସୀ ଘୋଷଣା କରି ପାରିବେ । ସେତେବେଳେ ଆମେ କଣ କରିବା ନକଲି ଆଦିବାସୀ ହୋଇ ଯିବା କିମ୍ବା ଆଦିବାସୀ ତାଲିକା ରୁ ବାଦ ପଡିବା ପାଇଁ ପ୍ରସ୍ତୁତ ହୋଇ ରହିବା । କାରଣ ଆଜି ଆମ କନ୍ଧ ସମ୍ପ୍ରଦାୟ ରେ ମୂଳ ଆଦିବାସୀ ର ଚିହ୍ନ ଧିରେ ଧିରେ ଶେଷ ହୋଇ ଚାଲିଛି ।
ଯେହେତୁ ଆମ ପୂର୍ବ ପୁରୁଷ ଆମିଷ ଭକ୍ଷଣ କରି ଆସୁଥିଲେ ତାଙ୍କୁ ଆମେ ବ୍ରାହ୍ମଣ ମନ୍ତ୍ର ରେ ପୂଜା କରି ସନ୍ତୁଷ୍ଟ କରି ପାରିବା ନାହିଁ ?
ଆମର ପୂର୍ବପୁରୁଷ କେବେ ବୋଲବମ୍ ଓ ପ୍ରହରୀ ନାମଯଜ୍ଞ କ’ଣ ଜାଣି ନ ଥିଲେ। ଏହା ଆଦିବାସି ସଂସ୍କୃତି ଓ ପରମ୍ପରା ର ନୁହେଁ ଏବଂ ଯଦିଓ ଏହା ଆମକୁ ଆବଶ୍ୟକ ପଡୁଛି ତେବେ ଆମେ ଆଦିବାସୀ ନୁହେଁ ନକଲି ଆଦିବାସୀ ଅଟୁଁ ।
ଆମ କନ୍ଧ ସମାଜରେ କିଛି ନେତା ସମାଜ ସଭା ମଞ୍ଚ ଉପରେ କନ୍ଧାନ୍ ସଂସ୍କୃତି ଉପରେ ଜୋରଦାର୍ ଓ ବଡବଡ ଭାଷଣ ଦିଅନ୍ତି । ଜନସାଧାରଣ ବାରମ୍ବାର କରତାଳି ଦେଇ ସେମାନଙ୍କୁ ଉତ୍ସାହିତ କରିନ୍ତି । କିନ୍ତୁ ତାଙ୍କ ମୋବାଇଲର ରିଙ୍ଗ ଟୋନ୍ ରେ ଗାୟତ୍ରୀ ମନ୍ତ୍ର, ଗଣେଶ ବନ୍ଦନା, ରାମଙ୍କ ଭଜନ ବା ମନ୍ତ୍ର ବାଜେ କ’ଣ ଏହା ଆମର ସମାଜର ସଂସ୍କୃତି ପରମ୍ପରା ପ୍ରତି ସଚେତନତା ?
ତେବେ ଏହି ନେତା ମାନେ ଆମ ସମାଜ କୁ କେଉଁ ପ୍ରକାର ସାମାଜିକ ସଚେତନ କରୁଛନ୍ତି ?
ମୁଁ ଭଲଭାବରେ ଜାଣିଛି ବର୍ତ୍ତମାନ ଆମ ସମାଜ ଓ ଆମ ପରିବାର ବ୍ରାହ୍ମଣ ସଂସ୍କୃତି ରେ ବୁଡି ଯାଇଛୁଁ ଯଦିଓ ଆମର ସ୍ୱତନ୍ତ୍ର କନ୍ଧାନ୍ ପରମ୍ପରା ସଂସ୍କୃତି ଅଛି । ଯଦି ଆମକୁ ନିଜ ସଂସ୍କୃତି ପରମ୍ପରା କୁ ଆଗେଇ ନେବା ପାଇଁ ଲଜ୍ୟା ବୋଧ ହେଉଛି, ତେବେ ମିଛ ଆଦିବାସୀ ଦେଖେଇ ହୋଇ ଆଦିବାସୀ ନାଁ ରେ ସାମ୍ବିଧାନିକ (ST) ଅଧିକାର ର ଫାଇଦା ଉଠାଇ ଚାଲିଛୁଁ । ତାହେଲେ ତ ଆମେ ବି ଆଜି ସେଇ ନକଲି ଆଦିବାସୀ ମାନଙ୍କ ଶ୍ରେଣୀ ରେ ଆସି ଯାଇଛୁ । କାରଣ ଆଜି ଆମେ, ଆମ ପୂର୍ବ ପୁରୁଷ ଙ୍କ ସଂସ୍କୃତି ନ ବଞ୍ଚାଇ ବ୍ରାହ୍ମଣ ସଂସ୍କୃତି ଓ ପରମ୍ପରା କୁ ବଞ୍ଚାଇ ଅନୁକରଣ କରିବାରେ ଲାଗିଛୁ ।
ଆମରି ହିଁ କନ୍ଧ ଓ ଆଦିବାସୀ ନେତା ମାନେ ଆଗ ଧାଡିରେ ରହି ସମାଜ କୁ ପରିଚାଳନା କରନ୍ତି, ହିନ୍ଦୁ ବ୍ୟବସ୍ଥା କୁ ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷ ଭାବେ ହେଉ ପ୍ରୋତ୍ସାହନ କରନ୍ତି । ପୁଞ୍ଜିବାଦୀ ବ୍ୟବସ୍ଥା କୁ ବି ପ୍ରୋତ୍ସାହନ କରନ୍ତି ଏହା ଆମ ସମାଜ ପାଇଁ କେତେ ଯେ କ୍ଷତି କାରକ ତାହା ସେମାନେ କେବେ ଜାଣିବାକୁ ଚେଷ୍ଟା କରି ନାହାଁନ୍ତି । ଏମିତି ଚାପଲୁସୀ ବ୍ୟବସ୍ଥା ପ୍ରତି ଆମକୁ ସାବଧାନ ରହିବା ଅତ୍ୟନ୍ତ ଜରୁରୀ । ହଜାର ହଜାର ହେକ୍ଟର ଆଦିବାସୀ ଙ୍କ ଗୋଚର ଜମି ଓ ଜଂଙ୍ଗଲ କୁ ସରକାର କମ୍ପାନୀ ହାତକୁ ଟେକି ଦିଏ, ସହଯୋଗ କରନ୍ତି କିଛି ଆଦିବାସୀ ନେତା ଏବଂ ଗଢି ଉଠେ କଳକାରଖାନା, ଭିଟାମାଟି ରୁ ବିସ୍ଥାପନ ହୁଅନ୍ତି ହଜାର ହଜାର ଆଦିବାସୀ ପରିବାର । ଏହି କରୁଣ କାହାଣୀ ଆଦିବାସୀ ସଂପ୍ରଦାୟ ଉପରେ ଏବେ ବି ଦେଖିବାକୁ ମିଳୁଛି ।
ଏତେ ସବୁ ଖେଳ ସୃଷ୍ଟି ହୁଏ କେଉଁଠୁ ?
କିଛି ଗୋଷ୍ଠୀ ଅଛନ୍ତି ନିଜକୁ ଆର୍ଯ୍ୟମାନଙ୍କ ସନ୍ତାନ ବୋଲି ବିବେଚନା କରନ୍ତି, ଯଦିଓ ଆଦିବାସୀ କନ୍ଧ ଭୀମା ଦେବତାଙ୍କ ସନ୍ତାନ ଅଟୁଁ । ବ୍ରାହ୍ମଣ ଆର୍ଯ୍ୟ ମାନଙ୍କ ସହ ଆମର ହଜାର ହଜାର ବର୍ଷରୁ କିଛି ବି ରକ୍ତ ସମ୍ପର୍କ ନାହିଁ, ହେଲେ ତାଙ୍କରି ପଛରେ ଧାଇଁବାର କାରଣ କଣ ?
ଆମ ସମାଜ ଭିତରେ ପାପ ପୂଣ୍ୟ କୁ ନେଇ ଗୋଟିଏ ପ୍ରକାର ଭୟ ର ବାତାବରଣ ସୃଷ୍ଟି କରାଯାଇଛି ।
ଯଦିଓ ଆମେ ପିଦର ପୂଜା ବା ପୂର୍ବ ପୁରୁଷ ଙ୍କ ପୂଜାର୍ଚ୍ଚନା କରୁ, ତେବେ ପାପପୂଣ୍ୟ ସହ ଆମର ସମ୍ପର୍କ ଆସିଲା କେଉଁଠୁ ?
ଏ ସମାନ ପ୍ରକାରର କନ୍ଧ ସଂସ୍କୃତି ବିଘଟନ ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିଥିବା କନ୍ଧ ମାନେ ବି କରୁଛନ୍ତି । ବଡ ଦିନ, X-MAS ଏ ସବୁ କନ୍ଧ ସଂସ୍କୃତି ପରମ୍ପରା ରେ ଆସେ ନାହିଁ ।
ତେବେ ଏ ସବୁ ପ୍ରତି ଆମର ଆକୃଷ୍ଟ ବଢୁଛି କାହିଁକି ?
କ’ଣ ଆମର ପୂର୍ବପୁରୁଷ ଖ୍ରୀଷ୍ଟିଆନ ହୋଇ ଜନ୍ମ ହୋଇଥିଲେ ?
କନ୍ଧ ବ୍ୟକ୍ତି ମୃତ୍ୟୁବରଣ କଲା ପରେ ନିଜ ପରିବାର ଭିତରେ ହିଁ ଜନ୍ମ ନିଏ, ନିଜ ପୁଅର ୱୈରସରେ । ଏହି ବିଶ୍ୱାସ ଅନନ୍ତ କାଳରୁ ଚଳି ଆସୁଛି , ଯେଉଁ ଦିନ ଠାରୁ କନ୍ଧ ସୃଷ୍ଟି ହେଲା । ତେଣୁ କନ୍ଧ ସମ୍ପ୍ରଦାୟରେ କୌଣସି ବ୍ୟକ୍ତି ର ମୃତ୍ୟୁ ପରେ ଦଶାହ ଦିନ ରାତିରେ ମସାନ ଆଣିବାକୁ ଯାଉ ଏବଂ ଯେ ପର୍ଯ୍ୟନ୍ତ ମସାନ ନିଜେ ଆସେ ନାହିଁ ସେପର୍ଯ୍ୟନ୍ତ ପୂଜା ଚାଲେ । କନ୍ଧ ଆଦିବାସୀ କେବେ କୁକୁର, ବିଲେଇ,ମାଙ୍କଡ, ସାପ ,କୀଟ ପତଙ୍ଗ ରୂପେ ଜନ୍ମଗ୍ରହଣ କରେ ନାହିଁ ଯଦି କନ୍ଧ ମୃତ୍ୟୁ ପରେ ଏହି ସବୁ ଜନ୍ମ ନେଉଥାନ୍ତା , ତେବେ ଆମକୁ ପିଦର ପୂଜା କରିବା ପାଇଁ ଆବଶ୍ୟକ ପଡନ୍ତା ନାହିଁ ।
ସଚେତନ ହୁଅ, ସଂସ୍କୃତି ପରମ୍ପରା କୁ ଅଧ୍ୟୟନ କର ଏବଂ ପରବର୍ତ୍ତୀ ପିଢି ପାଇଁ ସାଇତି ରଖ ।
ଜଏ ଜାଡେନ୍ !!!
@byasadev_bhoi_kld