GAHANKA KANDHA

ଭାରତୀୟ ମହାନ ପରମ୍ପରାରେ ବିକଶିତ ସମସ୍ତ ଧର୍ମୀୟ ବିଶ୍ଵାସ ଓ ଧର୍ମାଚାରର ମୂଳତତ୍ଵ ଏ ମାଟିର ଆଦିମ ସମାଜରୁ ପ୍ରଗୈତିହାସିକ  କାଳରୁ ବିବର୍ତ୍ତିତ ହୋଇ ଆସୁଛି। ସବୁବେଳେ କ୍ଷୁଦ୍ର ଏବଂ ଆଞ୍ଚଳିକ ପରମ୍ପରାରୁ ହି ମହାନ ପରମ୍ପରାର  ବିକାଶ ସମ୍ଭବପର ହୋଇପାରିଛି । ଏହି ପରିପେକ୍ଷିରେ ଓଡିଶାର ୬୨ପ୍ରକାରର ଆଦିବାସୀମାନଙ୍କର ମଧ୍ୟ ହସ୍ତକ୍ଷେପ ରହିଛି। ଓଡିଶାରେ ଏହି ଆଦିବାସୀଙ୍କ ଜନସଂଖ୍ୟା ପ୍ରାୟ ୯୫,୯୦,୭୫୬ । ଯାହା ଓଡିଶାର ଲୋକସଂଖ୍ୟାର ଶତକଡା ୨୩ ଭାଗ ଅଟେ। ଓଡିଶାର ଏହି ୬୨ ପ୍ରକାର ଆଦିବାସୀମାନଙ୍କ ମଧ୍ୟରୁ କନ୍ଧ ଆଦିବାସୀ ହେଉଛନ୍ତି  ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଆଦିବାସୀ ଗୋଷ୍ଠୀ ୨୦୧୧ ସେନସସ ରିପୋର୍ଟ ଅନୁସାରେ ଏମାନଙ୍କ ଜନସଂଖ୍ୟା ୧୬,୨୭,୪୮୬ ( ମହିଳା-୮,୩୬,୯୨୭ ଓ ପୁରୁଷ-୭,୯୦,୫୫୯) ଅଟେ। ଯାହା ୨୦୦୧ ସେନସସ ରିପୋର୍ଟ ଠାରୁ ୨,୩୧,୮୪୩ ବୃଦ୍ଧି  ଘଟିଛି । ସ୍ଵାକ୍ଷରତାରେ ମଧ୍ୟ ୩୧.୮୭%( ମହିଳା-୧୭.୯୮%ଓ ପୁରୁଷ-୪୬.୨୭%) ରୁ  । ୪୬.୯୫%( ମହିଳା-୩୫.୫୭%ଓ ପୁରୁଷ-୫୯.୧୭%) କୁ ବୃଦ୍ଧି ଘଟିଛି । କନ୍ଧମାନେ ଓଡିଶାର ବିଭିନ୍ନ ଜିଲ୍ଲାରେ ବସବାସ କରନ୍ତି । ସେ ମଧ୍ୟରୁ କେତେକ କନ୍ଧ ବହୁଳ  ଜିଲ୍ଲା ହେଲା କନ୍ଧମାଳ,କଳାହାଣ୍ଡି,ବୌଦ୍ଧ,କୋରାପୁଟ,ବଲାଙ୍ଗିର ଓ ଗଞ୍ଜାମ ଆଦି ।       କନ୍ଧମାନେ କେଉଁ ପୁରାତନ କାଳରୁ ଓଡିଶା ପ୍ରଦେଶକୁ ନିଜର ବାସସ୍ଥଳୀ ଭାବେ ବାଛିନେଇଛନ୍ତି ତାହାର କିଛି ଐତିହାସିକ ପ୍ରମାଣ କାହା ପାଖରେ ନାହିଁ । କିନ୍ତୁ  ଆଞ୍ଚଳିକା କନ୍ଧ ଲୋକ ମିଥରୁ ଶୁଣିବାକୁ ମିଳେଯେ ସମସ୍ତ କନ୍ଧମାନେ ହିମାଲୟର ପାଦଦେଶ ତଥା ବିନ୍ଧ୍ୟାଞ୍ଚଳ(ବିଞ୍ଜେଗିରି)ରୁ ସ୍ଥାନାନ୍ତରିତ ହୋଇ ଓଡିଶାର ବିଭିନ୍ନ ଜାଗାରେ ବସତିସ୍ଥାପନ କରି ରହିଛନ୍ତି।  କନ୍ଧମାନେ ଓଡିଶାରେ ସ୍ଥାନାନ୍ତରଣ ଜୀବନ ଜୀଉଥିବା ବେଳେ ପ୍ରକୃତିର ବହୁ ଘାତ ପ୍ରତିଘାତ ସହି ପ୍ରକୃତିକୁ ନିବିଡ ଭାବରେ ବୁଝି ପ୍ରାକୃତିକ ପରିବେଶ ଉପରେ ନିର୍ଭରଶୀଳ ହୋଇ ରହିଆସୁଛନ୍ତି । ପ୍ରକୃତିସହ ଏହି ଖାପାଖୁଆଇ ଚଳି ଆସିବା ଭିତରେ ନିଜର ଶୈଳୀରେ ଅନେକ ଜ୍ଞାନ କୌଶଳର ବିକାଶ ସହ ସେଗୁଡିକର ମହତ୍ଵକୁ ବୁଝି”ସ୍ଥାନାନ୍ତରଣ” ଜୀବନଯାପନଠାରୁ “ଚିରସ୍ଥାୟୀ” ଭିର୍ତ୍ତୀରେ ସନ୍ତସନ୍ତିଆ,ଅତିଦୁର୍ଗମ,ନଦୀ,ପାହାଡ,ଜଙ୍ଗଲ ଓ ସମତଳ ଭୂମିରେ ସରଲା ଜୀବନ ଯାପନ କରୁଛନ୍ତି । କଠିନରୁ କଠିନ ପରିସ୍ଥିତି କ୍ଷେତ୍ରରେ ଅତ୍ୟନ୍ତ ସୀମିତ ପ୍ରାକୃତିକ ବିଭାବର ସୁଚିନ୍ତିତ ବ୍ୟବହାର କରି ଏମାନେଏକ ସ୍ଵୟଂ ସମ୍ପୂର୍ଣ ଜୀବନ ଯାପନ କରି ଆସୁଛନ୍ତି । ଏହା ବ୍ୟତୀତ ସାମାଜିକ ଜୀବନକୁ ସୁଖ ଶାନ୍ତିମୟ କରିବାକୁ ଯେଉଁ ସବୁ ଶୃଙ୍ଖଳା,ବିଧିବିଧାନ ଓ ପର୍ବପର୍ବାଣି ସବୁ ସୃଷ୍ଟି କରିଛନ୍ତି ଓ ପ୍ରାକୃତିକ ଦୁର୍ବିପାକ ଗୁଡିକର ଯେପରି ମୁକାବିଲା କରିଆସୁଛନ୍ତି ସେସବୁରେ ବହୁ ଶିକ୍ଷଣୀୟ ତତ୍ଵ ନିହିତ ରହିଛି । ଏମାନେ ପ୍ରକୃତି ଉପାସକ ହୋଇଥିବାରୁ ପରିବର୍ତୀ ସମୟରେ ଯେଉଁସବୁ ଜାଗାରେ ଏମାନେ ରହିଛନ୍ତି ସେଠାରେ ପ୍ରକୃତି ଯଥା-ମାଟି,ପାହାଡ,ନଦୀ,ଝରଣା,ବୃକ୍ଷଲତା,ପଶୁପକ୍ଷୀ ଆଦିକୁ ବିଭିନ୍ନ ନାମରେ ପ୍ରାକୃତିକ ସାମଗ୍ରୀର ବ୍ୟବହାରକରି ଉପାସନା କରି ଜୀବନ ଯାପନ କରି ଆସୁଛନ୍ତି । କନ୍ଧ ମିଥ ଅନୁସାରେ କନ୍ଧମାନେ ମୂଳଯାଗାରୁ ଯେତେବେଳେ  ଓଡିଶା ଭୂଖଣ୍ଡକୁ ଆସିଲେ ୧୨ଭାଇ,୩୨କନ୍ଧ,୧୮ମାଝି,୧୬ପ୍ରଧାନୀ ହୋଇ ଓଡିଶା ପ୍ରଦେଶକୁ ବୌଦ୍ଧ,ଦଶପଲ୍ଲା,କନ୍ଧମାଳ ଅଞ୍ଚଳ ଦେଇ ଶେଷରେ କଳାହାଣ୍ଡିକୁ ଆସି ସେଠାରୁ ଭାଗ ଭାଗ ହୋଇ ପ୍ରତ୍ୟେକ କନ୍ଧଗୋଷ୍ଠୀ ନିଜ ନିଜର  ଭୂଖଣ୍ଡ ବାଛିଲେ । ଯେଉଁ ବିସ୍ତ୍ରୁତ ଭୂଖଣ୍ଡରେ ଯେଉଁ ନିଧୀଷ୍ଟ କନ୍ଧମାନେ ରହିଲେ ସେହି ଅଞ୍ଚଳମାନଙ୍କୁ ପ୍ରଗଣା/ଦେଶ କୁହାଗଲା । ପ୍ରଗଣା ନାମ ମଧ୍ୟ ଉକ୍ତ କନ୍ଧ ଗୋଷ୍ଠୀର ନାମାନୁସାରେ ନାମିତ କରାଗଲା  ଯେପରିକିଗହକଦେଶ,ବେସ୍କାଦେଶ,ଟୁପାଦେଶ,ମିଲକିଦେଶ,ପରଧାନୀଦେଶ,ମାଝିଦେଶ ଆଦି । ଏହିପରି ଭାବରେ ବର୍ତମାନ ର କଳାହାଣ୍ଡି,ବଲାଙ୍ଗିର,ବୌଦ୍ଧ,ନୂଆପଡାକୁ ମିଶାଇ ୪୪ ଟି ପ୍ରଗଣା ଅଛି । ପ୍ରତ୍ୟେକ କନ୍ଧ ବର୍ଗର କେତେକ ଭାଇ ବଂଶ ଓ କେତେକ ବନ୍ଧୁବର୍ଗ ଥାନ୍ତି । ଏହି ବର୍ଗ ଦ୍ଵାରା କନ୍ଧମାନେ ନିଜକୁ ଅନ୍ୟଠାରେ ପରିଚିତ କରିଥାନ୍ତି। ଓଡିଶାରେ ଥିବା ପ୍ରତ୍ୟେକ ବର୍ଗର କନ୍ଧମାନଙ୍କର ଏକ ନିର୍ଦ୍ଧିଷ୍ଟ ଉତ୍ପତି ସ୍ଥଳୀ ଓ ବିସ୍ତରଣ ଦେଖାଯାଏ ।

      ନିମ୍ନରେ ଆମଞ୍ଚଳର  କେତେକ କନ୍ଧମାନଙ୍କର ବର୍ଗର ନାମ ଦିଆଗଲା ।

                              ଗହକା କନ୍ଧ

ଗହକା କନ୍ଧର ସ୍ଥାନାନ୍ତରଣ ଇତିହାସ :-

   ଗହକା ପ୍ରଗଣାର ବିଭିନ୍ନ ଲୋକମିଥ ଅନୁସାରେ ଦେଶ କନ୍ଧମାନେ ଯେତେବେଳେ ବିନ୍ଦେଗିରି ରୁ ଆସି କଳାହାଣ୍ଡିରେ ପହଞ୍ଚିଥିଲେ ସେମାନେ ବର୍ତ୍ତମାନର ନର୍ଲା ବ୍ଲକ ସ୍ଥିତ ବାରେଙ୍ଗଗଡ (ଯାହା ଏବେ ଭାନପୁର ନାମରେ ନାମିତ)ରେ ପ୍ରଥମେ ବାସକଳେ ଏବଂ ପରେ କନ୍ଧମାନେ ବେସ୍କା କନ୍ଧକୁ ସେଠାରେ ପଦର ବସିବାକୁ ଛାଡି ଅନ୍ୟ କନ୍ଧମାନେ ଅନ୍ୟ ଜାଗା ମାନଙ୍କରେ ନିଜ ନିଜର ପଦର ବସାଇଲେ । ଏହି କନ୍ଧମାନଙ୍କ ମଧ୍ୟରୁ ଗହକା କନ୍ଧ ସେଠାରୁ ଆସି ପ୍ରଥମେ ଅମଠାଠାରେ ନିଜର ଗଡକଲେ ଓ ଚିଚର୍ଲା ପଥର୍ଳା ଠାରେ ଖଳା ସ୍ଥାପନ କଲେ । ଆଗେ ଲୋକେ ଜଙ୍ଗଲରୁ ଫଳମୂଳ କିମ୍ବା ପୋଡୁଚାଷ କରି ପେଟ ପୋଷଣ କରୁଥିଲେ ଏବଂ ଜନସଂଖ୍ୟା ବୃଦ୍ଧି ହେଲେ ଓ ଖାଦ୍ୟାଭାବ ଦେଖାଦେଲେ ସେହି ଅଞ୍ଚଳ ଛାଡି ଅନ୍ୟ ଆଞ୍ଚଳ କୁ ସ୍ଥାନାନ୍ତରିତ ହେଉଥିଲେ । ଏହିପରି ଭାବରେ ଗାହକା କନ୍ଧମାନଙ୍କ ଜନସଂଖା ଯେତେବେଳେ ଆମଠା ଅଞ୍ଚଳରେ ବୃଦ୍ଧି ଘଟିଲା ସେମାନେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ କେତେ ଭାଇ ସେ ଜାଗାଛାଡି   କେସିଙ୍ଗା ଅଞ୍ଚଳ ଆସି କେସିଙ୍ଗାଠାରେ ଗଡ ସ୍ଥାପନ କଲେ ଓ କେସିଙ୍ଗା ପାଖାପାଖି ଅଞ୍ଚଳରେ ବାସକଲେ । ସେଠାରୁ ପୁଣି କେତେ ଭାଇ ଅମାଟକୁ ଆସି ସେଠାରେ ଗଡ ସ୍ଥାପନ କଲେ । ଅମାଟରେ ପୁଣି ଯେତେବେଳେ ସେମାନଙ୍କ ଜନସଂଖ୍ୟାର ବୁଦ୍ଧି ଘଟିଲା ସେମାନେ ତେଲ ନଦୀ ଡେଇଁ ପାଟଣା(ବର୍ତ୍ତମାନର ବଲାଙ୍ଗିର) ଅଞ୍ଚଳକୁ ଆସିଥିଲେ । ତେଲ ନଦୀର ଯେଉଁଠି ଘାଟ କରି ଡେଇଁଥିଲେ ସେହି ଘାଟକୁ ସୁନାମୁହିଁ ଘାଟ କୁହାଯାଏ । ତେଣୁ କନ୍ଧ ଲୋକଉକ୍ତିରେ ଅଛି ‘’ଅମାଟ ଯେ ଗଡ ସୁନାମୁହିଁ ଯେ ଘାଟ’’ । ପାଟଣାରେ ସେମାନେ ପ୍ରଥମେ ଗୁଖୁରୁଙ୍ଗ ଓ ଢବାପଡା ଠାରେ ଗଡ ସ୍ଥାପନ କାଲେ ଯାହାକୁ ଠୁବଡିଙ୍ଗ ଗଡ କୁହାଯାଏ । ସେହି ଗଡଠାରୁ ଉପରକୁ ପଶ୍ଚିମରେ ଟୁପାପ୍ରଗଣା/ଟୁପାଦେଶ ପର୍ଯ୍ୟନ୍ତ ପଦର ବସାଇଲେ ଓ ଉତ୍ତର-ପୂର୍ବରେ ବୁଡୁକା ଦେଶ ପର୍ଯ୍ୟନ୍ତ ପଦର ବସାଇଲେ । ଉତ୍ତରରେ  କେତେକ ଶିକା ଦେଶ ପର୍ଯ୍ୟନ୍ତ ମଧ୍ୟ ପଦର ବସାଇଲେ । ଗୁଖୁରୁଙ୍ଗ ଗଡରୁ ଶେଷରେ ବାରହାମାଳରେ ଗଡ କଲେ । ବରାହମାଳରୁ ପୂର୍ବକୁ ମାଝିଦେଶ ପର୍ଯ୍ୟନ୍ତ ପଦର ବସାଇଲେ ଓ କେତେକ ଉତ୍ତରରେ ଶିକାଦେଶ ପର୍ଯ୍ୟନ୍ତ ମଧ୍ୟ ପଦର ବସାଇଲେ । ବରାହମାଳ ଗଡରୁ ଏମାନେ ଶିକାଦେଶ(ଶିକାପ୍ରଗଣା)କୁ ଶିକାର କରିବା ତଥା ଖାଦ୍ୟ ଅନ୍ଵେଷଣ ନିମନ୍ତେ ଯାଉଥିଲେ । ଦେଢେଲ ଅଞ୍ଚଳରେ ଉପଯୁକ୍ତ ଖାଦ୍ୟର ସନ୍ଧାନ ପାଇ ସେମାନେ ସେଠାରେ ବସତି ସ୍ଥାପନ କରିବାକୁ ସ୍ଥିର କଲେ । ଫଳସ୍ଵରୂପ ଦେଢେଲ ଅଞ୍ଚଳ ପାଇ ଶିକା କନ୍ଧ ସହ ଯୁଦ୍ଧ କରିବାକୁ ପଡିଥିଲା । ଏହି ଯୁଦ୍ଧରେ ଶିକା କନ୍ଧ ସହ ମାଝି କନ୍ଧ ମିଶି ଯୁଦ୍ଧ କରିଥିଲେ କିନ୍ତୁ ଯୁଦ୍ଧରେ ଗାହକା କନ୍ଧ ଜୟଲାଭ କରି ସେଠାରେ ୧୨ଭାଇ ଗହକା ମଧ୍ୟରୁ ରୁଫଡିଆ ଗହକାକୁ ବସତି ସ୍ଥାପନ କରିବାକୁ କହିଲେ । ଶେଷରେ ସେଠାରୁ କିଛି ରୁଫଡିଆ ଭାଇ ଦେଢେଲ ଅଞ୍ଚଳରେ ବହିଯାଇଥିବା ବୁଢା ଯୋର ଡେଇ ଆରପାରିରେ ଉଳବା ଗାଁ ବସାଇଲେ । ଏହିପରି ଭାବରେ ଗହକା କନ୍ଧମାନେ ଏକ ସରଳ ରେଖାରେ ଦକ୍ଷୀଣରେ ଚାଞ୍ଚେଡ/ଆମଠାରୁ ଉତ୍ତରରେ ଦେଢେଲ/ଉଳବା ପର୍ଯ୍ୟନ୍ତ ବିସ୍ତୃତ ହେଲେ । ଗହକା ପ୍ରଗଣାର ଅଧା ଅଞ୍ଚଳ ତେଲ ନଦୀର ଉପରି ଭାଗରେ ଓ ଅଧା ତେଲ ନଦୀର ତଳ ଭାଗରେ ରହିଲେ ସେହି ଅନୁସାରେ ତଳଗହକା ଓ ଉପର ଗହକା ନାମରେ ନାମିତା ହେଲେ ।

      ନିମ୍ନରେ ୧୨ ଭାଇ ଗହକାର ନାମ ଦିଆଗଲା ।

୧.ସମା            ୨.ମୁକୁନ୍ଦ             ୩.ଗଜେ          ୪.ନାଗମଳ

୫.କୁଟିଆ          ୬.ରୁଫଡିଆ          ୭.ଖାତି           ୮.ଖୁଙ୍ଗତି

୯.ଲୁହା(ଲିହିଡିଆ)  ୧୦.ତାମନା(ତିହିଡିଆ)   ୧୧.ଗାରେ   ୧୨.ବୀର       

ତଳଗହକା ପ୍ରଗଣାର ଗାଁର ତାଳିକ :-

୧.ବିଜେପୁର ୨.ରିଗଢୁଳ ୩.ମାଥନପଲା ୪.ଭଲେଗା ୫.ମହଦା ୬.ଲୁଥୁରବନ୍ଧ   ୭.ସିନପାଳି    ୮.ଚାନ୍ଦୁତରା  ୯.ଚୋରମରା ୧୦.ସିଲେଟପରା ୧୧.ବିକବାହାଳି ୧୨.ବେଲଗା ୧୩.ପିପରୁଟ ୧୪.ସମାଚୁଆ ୧୫.ନାରିକଟା ୧୬.ଘୁଘୂରପଳା ୧୭.ବିନ୍ଧନବାହାଳି ୧୮.ଘଣ୍ବବାହାଳି ୧୯.ଭୋରପଡା ୨୦.ନରାବାହାଳି ୨୧.ବରାହମାଳ ୨୨.ଦେଢେଲ ୨୩.ଯୁବାମାଳ ୨୪.ସିଂବାହାଳି ୨୫.ଶିଶକେଳା ୨୬.ଗୁଖୂରୁଙ୍ଗ ୨୭.ଗଣପଦର ୨୮.ଲିମ୍ବପଡା ୨୯.ଘୁଡାଉଠା ୩୦.ଭୋରପଡା ୩୧.ଖାସବାହାଳ ୩୨.କନ୍ଧଉଳବା    ୩୩.ଶିଶକେଳା

ଗହକା କନ୍ଧର ଧର୍ମୀୟ ବିଶ୍ଵାସ:- ପ୍ରତ୍ୟେକ ସମାଜର ଧର୍ମୀୟ ବିଶ୍ଵାସ ଉକ୍ତ ସମାଜର ସାମାଜିକ ରୀତିନୀତି, ପର୍ବ ପର୍ବାଣିରେ ଇତ୍ୟାଦିରେ ପରିଲିକ୍ଷିତ ହୁଏ ।  ଜୀବନ ଚକ୍ରର ପ୍ରତ୍ୟେକ ପର୍ଯ୍ୟାୟରେ ଏହାର ଗୁରୁତ୍ଵ ଅନୁଭବ କରି ହୁଏ । ଧର୍ମୀୟ ବିଶ୍ଵାସରୁ ହିଁ ଉକ୍ତ ସମାଜର ମହନୀୟତା,ପରିପକ୍ଵତା,ବିଚାରଧାରା ଓ ପ୍ରାଚୀନତାର ଆଭାସ ମିଳିଥାଏ । ଯେକୌଣସି ସମାଜର ଧର୍ମୀୟ ବିଶ୍ଵାସ ବା ଧର୍ମୀୟ ଆସ୍ଥା ସେମାନଙ୍କର survival ଅନୁସାରେ ଗଢି ଉଠିଥାଏ । ସମାଜର ଜରୁରୀ ଆନୁସାରେ ଧର୍ମୀୟ ବିଶ୍ଵାସମାନ ଗଢି ଉଠିଥାଏ ଏବଂ survival ସମୟରେ ଯାହାସବୁ ବଞ୍ଚିରହିବାରେ ସହାୟକ ହୋଇଥାଏ ସେସବୁକୁ ଗହକା କନ୍ଧମାନେ ତାଙ୍କର ଧର୍ମୀୟ ବିଶ୍ଵାସ ସହ ଜଡିତ କରିଛନ୍ତି। ଗହକା କନ୍ଧମାନଙ୍କ ଧର୍ମୀୟ ବିଶ୍ଵାସ ପ୍ରକୃତି ସହ ଓତଃ ପ୍ରୋତ ଭାବରେ ଜଡିତ । ମାଟି,ପାଣି,ନଦୀ,ଝରଣା,ପାହାଡ, ପର୍ବତ ଓ ପଶୁପକ୍ଷୀ ଯାହାସବୁ ତାଙ୍କର survivalରେ ସହାୟକ ହେଲେ ସେସବୁକୁ ତାଙ୍କର ଧର୍ମୀୟ ବିଶ୍ଵାସସହ ଯୋଡି ପର୍ବପର୍ବାଣି ପାଳନ କରୁଛନ୍ତି । ଉଦାହରଣସ୍ଵରୂପ :-ସମସ୍ତ କୃଷିଭିତ୍ତିକ ପର୍ବପର୍ବାଣି ଓ ଡାଙ୍ଗର ପୂଜା ଆଦି । ଏମାନଙ୍କ ଧର୍ମୀୟ ବିଶ୍ଵାସ କଟ୍ଟର ବା କୋଠର ନ ହୋଇ ଉଦାରବାଦୀ ଧର୍ମୀୟା ବିଶ୍ଵାସ ଅଟେ । ଯାହା ସମାଜର ଲୋକଙ୍କୁ ଏକ ସୂତ୍ର ତଥା ଏକ ଆଦର୍ଶରେ ବାନ୍ଧି ରଖିଥାଏ । ଏହି ଉଚ୍ଛ ଆଦର୍ଶ ଗୁଡିକ ସାମାଜିକ ସ୍ଵାଧୀନତା,ଭାତୃଭାବ,ନ୍ୟାୟ ଓ ବ୍ୟକ୍ତି ସ୍ଵାଧିନତା ଉପରେ ପରଜ୍ଯବେଶିତ ଅଟେ । ଛତିଶପାଟକ ସମାଜରେ ଯେଭଳି ଉଚ୍ଛ ନିଚ୍ଛ ଭେଦ ଏବଂ ଏକ ନିର୍ଦ୍ଧିଷ୍ଟ ଲୋକ ପାଖରେ ସବୁ ଅଧିକାର ସମ୍ପନ୍ନ ଥାଏ ଏଭଳି ଏମାନଙ୍କ ସମାଜରେ ନ ଥାଏ । ଏମାନଙ୍କ ଧର୍ମୀୟ ବିଶ୍ଵାସରେ ସମାନତା ଓ ସାମୁହିକତା ଦୃଷ୍ଟଗୋଚର ହୋଇଥାଏ । ପ୍ରକୃତି ଯେମିତି ନାରୀ କୈନ୍ଦ୍ରିକ ସେହିଭଳି ତାଙ୍କର ଧର୍ମୀୟ ବିଶ୍ଵାସରେ ମଧ୍ୟ ନାରୀକୁ ଅଧିକ ଗୁରୁତ୍ଵ ଦେଉଥିବାର ଦେଖାଯାଏ । ଏଣୁ ଏମାନେ ତାଙ୍କର ଦେବୀ ଦେବତାଙ୍କ ନାମ ଉଚ୍ଛାରଣ ସମୟରେ ପ୍ରଥମେ ମା କହିଥାନ୍ତି ।ଏହା ବ୍ୟତୀତ ଏହାର ପ୍ରମାଣ ଆମେ କେତେକ କନ୍ଧ ଲୋକ ଉକ୍ତିରେ ପାଇପାରିବା ଯେମିତିକି ‘’ଘରକେ ଘରନୀ ଗା କେ ଧୀରିନି’’ । ଏସବୁରୁ ସ୍ପଷ୍ଟ ଯେ ଗହକା କନ୍ଧର ଧର୍ମୀୟ ବିଶ୍ୱାସ ମଧ୍ୟ ନାରୀ କୈନ୍ଦ୍ରିକ ଅଟେ ।

     ଏହି ସମାଜରେ ମାଟିର ମହତ୍ଵ ଅଧିକ ତେଣୁ ମାଟିକୁ ଅଧିକ ଗୁରୁତ୍ଵ ଦେଇ ଜାଡେନମା,କନ୍ଧେନବୁଢି ଆଦି ନାମରେ ମାଟିକୁ ପୂଜା କରିବାର ଦେଖାଯାଏ । ମୋଟାମୋଟି ଭାବରେ ଗହକା କନ୍ଧର ସମସ୍ତ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକଳାପକୁ ତାର ଧରମୟୟ ବିଶ୍ବାସ ସହ ଜଡିତ କରାଯାଇଥିବାର ଦେଖାଯାଏ । ଏହି ଧର୍ମୀୟ ବିଶ୍ବାସ ସେମାନଙ୍କୁ ଏକ

ସାମାଜିକ ଭାବ ଡୋରିରେ ବାନ୍ଧିକି ରଖିଥାଏ ଏବଂ ସମାଜ ପ୍ରତି ସାମାଜିକ ଚେତନା , ଭାତୃଭାବ ଓ ସାମୁହିକତା ଆଦି ଜାଗ୍ରତ କରାଏ ।

ଗହକା ପ୍ରଗଣା ପାଳିତ ହେଉଥିବା ପର୍ବ ପର୍ବାଣି :-

      ପ୍ରତ୍ୟେକ ପର୍ବ ପର୍ବାଣି ପାଳନର ମୂଳ ଲକ୍ଷ୍ୟ ହେଲା ସୃଷ୍ଟି ଓ ସୃଷ୍ଟିକର୍ତ୍ତା ମଧ୍ୟରେ ଥିବା ସଂପର୍କକୁ ପୁନଃ ସ୍ଥାପନ କରିବା । ତେଣୁ ଗହକା ପ୍ରଗଣାରେ ବର୍ଷକରେ ଅନେକ ପର୍ବପର୍ବାଣି ପାଳନ କରାଯାଏ । ଏହା ସିଧା ସଳଖ ପ୍ରକୃତି ସହ ଜଡିତ ଅଟେ ।ଏମାନେ ପ୍ରକୃତିର ଯେଉଁସବୁରୁ ଉପକୃତ ହେଉଛନ୍ତି ସେସବୁକୁ ପ୍ରତିଦାନ ସ୍ୱରୂପ ପର୍ବ ପାଳନ କରୁଥିବାର ଦେଖାଯାଏ । ଯେମିତିକି ମାଟି ,ମାଟିରୁ ଏମାନେ ଉପକୃତ ହେଉଥିବାରୁ ମାଟିକୁ ଅନେକ ନାମରେ ପୂଜା କରୁଥିବାର ଦେଖାଯାଏ । ପାହାଡ ଓ ଜଙ୍ଗଲରୁ କାଠ,ଧୂପ,ପତ୍ର,ମହୁ ଆଦି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନ ଯାପନ କରୁଥିଲେ ତେଣୁ ଏହାକୁ ମଧ୍ୟ ଡଙ୍ଗରବୁଢା,୧୨ଡଙ୍ଗର ୧୨ପାହାଡ ଆଦି ନାମରେ ପୂଜା ଦଉଛନ୍ତି । ଏପରିକି ବନ୍ୟଜନ୍ତୁଙ୍କୁ ମଧ୍ୟ ପୂଜା ଦେବାର ଦେଖିବାକୁ ମିଳେ ।

      ଗହକା ପ୍ରଗଣାରେ ଅସାମାଜିକ ମୂର୍ତ୍ତିପୂଜା ଦେଖିବାକୁ ମିଳେ ନାହି ଏବଂ ମନଗଢା ଦେବତା ଓ ପର୍ବ ପର୍ବାଣି ଅନ୍ୟ ସମାଜ ଭଳି ଦେଖିବାକୁ ମିଳେ ନାହି । ଅନ୍ୟ ସମାଜମାନଙ୍କରେ ଦେବତାକୁ ଛୁଇବାକୁ ବାରଣ ଥାଏ କିନ୍ତୁ ଏମାନେ ଦେବତା ସହ ଦେବତା ଭଳି ବ୍ୟବହାର କରନ୍ତି ଦେବତା ସହ ନାଛନ୍ତି ମଧ୍ୟ । ଏମାନଙ୍କ ଦେବତା ମଧ୍ୟ ପାତର ଅନ୍ତର ଦେଖେ ନାହି । ପର୍ବ ପର୍ବାଣିରେ ତାଙ୍କ ଚତୁର୍ପାଶ୍ଵରେ ଉପଲବ୍ଧ ପ୍ରକୃତିକ ସାମଗ୍ରୀ ଯଥା-ଧୂପ,ହାତ କୁଟା ଅରୁଆ ଚାଉଳ,ଫୁଲ,ଫଳ,ପତ୍ର,ଛେଳି, କୁକୁଡା,ଓ ପୋଢ ଆଦି ଲଗାଇଥାନ୍ତି । ପୂଜା ପାର୍ବଣ ତୁଲାଇବା ପାଇଁ ନିଦ୍ଧିଷ୍ଟ ଭାଷା ବା ମନ୍ତ୍ର ନ ଥାଏ । ଯେହେତୁ ପୂର୍ବରୁ ମୌଖିକ ପରମ୍ପରା ଚାଲି ଆସୁଛି ତେଣୁ ସେମାନେ ନୀତିଦିନିଆ ଭାଷାରେ ଏହି ପର୍ବ ପର୍ବାଣି ସବୁ ତୋଳାଇଥାନ୍ତି । ଅନ୍ୟ ସମାଜ ଭଳି ପର୍ବ ପର୍ବାଣି ପାଇଁ ନିର୍ଦ୍ଧିଷ୍ଟ ଭାଷା ବା ମନ୍ତ୍ର ନ ଥାଏ । ପର୍ବ ପର୍ବାଣି ଏକ ନିରନ୍ତର ପ୍ରକ୍ରିୟା ହୋଇଥିବାରୁ ଏହା ବର୍ଷର ବିଭିନ୍ନ ସମୟରେ ହୋଇଥାଏ । ପ୍ରଗଣାର ବିଭିନ୍ନ ଗାମାନଙ୍କରେ ବିଭିନ୍ନ ପ୍ରକାରରେ ପାଳିତ ହେଉଥିବାର ଦେଖାଯାଏ । ପର୍ବ ପର୍ବାଣି ଦୁଇଟି ସ୍ତରରେ ପାଳନ କରାଯାଏ ଯଥା ଗ୍ରାମ ସ୍ତର ଓ ପ୍ରଗଣା ସ୍ତର ରେ ପାଳିତ ହୋଇଥାଏ । ଗ୍ରାମ ସ୍ତରରେ ନିଜନିଜ ଗାରେ ସମସ୍ତେ ମିଶି ପାଳନ କରନ୍ତି ଓ ପ୍ରଗଣା ସ୍ତରରେ ପ୍ରଗଣା

ର ସମସ୍ତ ଲୋକ ଏକତ୍ରିତ ହୋଇ ପାଳନ କରନ୍ତି । ଯାହାକୁ ଦେଶ ଯାତ୍ରା କୁହାଯାଏ।                                                                                      ଗହକା ପ୍ରଗଣାରେ ବିଭିନ୍ନ ସମୟ ପାଳନ କରାଯାଉଥିବା ମୁଖ୍ୟ କେତେକ ପର୍ବ ପର୍ବାଣି ନିମ୍ନରେ ଦିଆଗଲା ।                                                 ଉଡିଭାର:- ବୈଶାଖମାସର ଜନଉଦିଆ(ଶୁକ୍ଳପକ୍ଷ)ରେ ଚାଷ କାମ ଆରମ୍ଭ ହେବା ପୂର୍ବରୁ ବା ଭୂମି କର୍ଷଣ ପୂର୍ବରୁ କ୍ଷେତମାନଙ୍କରେ ଢେଲ ଚୋରୋ ଦିଆଯାଏ । ଢେଲ ଚୋରୋ ଦିଆ ସାରିଲା ପରେ ହି ଉଡିଭାର ଯାଏ । ଯେଉଦିନ ଉଡିଭାର ପାଇଁ ସ୍ଥିର କରାଯାଇଥାଏ ସେଦି ସନ୍ଧ୍ୟାରେ ସମସ୍ତେ ମା ଜଡେନ ବୁଢୀ ପାଖରେ ଆଣି ଉଡି ରଖୁଥିଲେ । ସେଦିନ ଗାର ଜାନି ଓ ଆବାଳ ବୃଦ୍ଧବନିତା ଉପସ୍ଥିତ ହୋଇ ଗାଭା ଅଣାଯାଉଥିଲା । ଏବଂ ନାଚ ଗୀତରେ ରାତ୍ରିଯାପନ କରାଯାଥିଲା । ତାପରଦିନ ଭୋର ସକାଲୁ ଗୁଡିରୁସମସ୍ତେ ଧାନ ନେଇ ବୁଣିବାକୁ ଯାଉଥିଲେ । ଧାନ ବୁଣି ଫେରିଲା ପରେ ସକାଳେ ପୁଣି ଯାନୀ ଓ ବୃଦ୍ଧବୟସ୍କ ବ୍ୟକ୍ତି ମିଶି ସମସ୍ତଙ୍କ ଘରକୁ ଯାଇ ଉଡି ଉଳଗୁଥିଲେ । ସେଠାରେ ସେମାନେ ଉକ୍ତ ଘରର ଦେବୀଦେବତା ଓ ମାନମସାନ ନିମନ୍ତେ ପୂଜା କରୁଥିଲେ । ଏହିଦିନ ହି ଗାଧରଣିରେ କଞ୍ଚା ମହୁଲ ଆଣି ମହୁଲ ପକାଯାଉଥିଲା ।ବର୍ତ୍ତମାନ କିନ୍ତୁ ଏ ସବୁରେ ବହୁ ପରିବର୍ତ୍ତନ  ପରିଲିକ୍ଷିତ ହୁଏ । ଆଗ ଭଳି ଗାର ଲୋକେ ଏକାଠିମିଶି ନକରି ସମସ୍ତେ ନିଜନିଜ ଘରେ ଉଡିଭରୁଛନ୍ତି ଏବଂ ଢେଲ ଚୋରୋ ତ ଅଧିକାଂଶ ଜାଗାରେ ଲୁପ୍ତ ହେଇଗଲାଣି ।

କାଦୋଯାତ୍ରା :- କାଦୋଯାତ୍ରା ଅଷାଢ ମାସରେ  ପାଳନ କରାଯାଏ । ଏହି ପର୍ବଦିନ ସମସ୍ତ ପୂଜା ସାମଗ୍ରୀ ସହ ବୁଦେଲଲହ/ କେନାପତ୍ର ଓ ଗୋରସ କୁ ନେଇ କ୍ଷେତରେ ପୂଜା କରାଯାଏ । ଏହି ପୂଜା ସମ୍ପନ୍ନ ହେଲା ପରେ ହି କ୍ଷେତରେ ଲଟା ଘିଞ୍ଚା ବା ପଲାରୁଆ ଆରମ୍ଭ ହୋଇଥାଏ । ଏହି ଯାତ୍ରା କରିବାର ଉଦ୍ଦେଶ୍ୟ ହେଲା ମାଟି ମା କୁ କ୍ଷେତରେ ଲଟା ଝଅଟ ନ ହେବ ପାଇଁ ଅନୁରୋଧ କରିବା । ଏହି ଯାତ୍ରା ଭି ଆଗ ଭଳି ଧୂମଧାମରେ କରାଯାଉ ନାହି କେତେ ଜାଗାରେ ତ ବନ୍ଧ ହେଇଗଲାଣି ନୂଆଖାଇ :- ଏହିପର୍ବ ଭାଦ୍ରବ(ଭଦୋ) ମାସରେ ପାଳିତ ହୋଇଥାଏ । ବହୁ ଧୁମଧାମରେ ପାଳନ କରାଯାଏ । ନୂଆଖାଇ ପର୍ବର ପାଳନର ମୂଳ ଲକ୍ଷ୍ୟ ହେଲା କ୍ଷେତରେ ମିଳୁଥିବା ନୂଆଶସ୍ୟକୁ ପ୍ରଥମେ ଘରର ବା ଗାଁର ଇଷ୍ଟ ଦେବତା ଓ ମାନମସାନଙ୍କ ଠାରେ ପ୍ରଥମେ ଭୋଗ ଲଗାଇ ନୂଆ ଶସ୍ୟ ଖାଇବା । ଏହାକୁ ଦା ପୂଜା ମଧ୍ୟ କୁହାଯାଏ । ଉକ୍ତ ଦିନ ଦା ରେ ଘରେ ବଳି ଦିଆଯାଏ । ନୂଆଖାଇ ପୂର୍ବରୁ ଘରର ସମସ୍ତ ଜିନିଷ ସଫାସୁତୁରା କରାଯାଏ ଏବଂ ଘର ମଧ୍ୟ ଲିପାପୁଛା କରାଯାଏ । ଯେଉଁ ଦିନ ନୂଆଖିଆ ହୁଏ ସେଦିନର ଏକଦିନ ପୂର୍ବରୁ ଗାଁ ର ଜାନିଝାକର ମାନେ ଗାଁର ଦେବତାଙ୍କୁ ଉପାସ ବାରନ୍ତି(ନିମନ୍ତ୍ରଣକରନ୍ତି)।ତା ପରବର୍ତ୍ତୀଦିନ ଘରରେ ନୂଆଖାଆନ୍ତି ଓ ଅନ୍ୟ ଭାଇ ବନ୍ଧୁଙ୍କ ସହ ନୂଆଖାଇ ଭେଟଘାଟ ହୁଅନ୍ତି ।   ଏହିପର୍ବ କେତେକ ଗାଁରେ ସମସ୍ତେ ଏକାଠି ମିଶି ଖାଆନ୍ତି ତ କେତେକ ଗାଁରେ ଘରକୁ ଘର ଏକାକୀ ଖାଆନ୍ତି।

ଦଶହରା ଯାତ୍ରା :- ଏହିପର୍ବ ଦଶହରା ମାସରେ କରାଯାଏ । ଏହା ବର୍ଷକୁ  ଥରେ ହେଉଥିବା ସମସ୍ତ ଦେବୀ ଦେବତାଙ୍କ ମୁଖ୍ୟ ଯାତ୍ରା ଅଟେ ।ଏହି ଯାତ୍ରାରେ ସମସ୍ତ ଦେବିଦେବତା ମାନେ ପୂଜା ପାଇଥାନ୍ତି । ଏହି ଯାତ୍ରାରେ ଗାଁର ସମସ୍ତେ ନୂଆଁ ଧାନକୁ ଅକତା କୁଟି ଦେବତାଗୁଡିକୁ ନେଇଥାନ୍ତି । ମାନସିକ କରିଥିବା ଲୋକମାନେ ମାନସିକ ପୂରଣ ହେଲେ  ଛେଲି ,କୁକୁଡା , ଆଣି ପୂଜାକରିଥାନ୍ତି । ପୁଝାରି ଅକତା ଚାଉଳକୁ ଧୋଇକି ପୁଞ୍ଜି ଦିଅନ୍ତି । ଏହିଯାତ୍ରା ପୂର୍ବରୁ ପ୍ରଗଣାର କେହିବି ନୂଆଁ ଧାନର ଚାଉଳକୁ ଧୂଅନ୍ତି ନାହିଁ । ଏମିତିକି ନୂଆଁ ଧାନର ପାଳ ମଧ୍ୟ ପୋଡନ୍ତି ନାହିଁ । ଏହି ଯାତ୍ରା ସାରିଲା ପରେହିଁ ନୂଆଁ ଚାଉଳକୁ ଧୋଇକି ରାନ୍ଧିଥାନ୍ତି ତେଣୁ ଏହି ଯାତ୍ରାକୁ ଚାଉଳଧୁଆ ଯାତ୍ରା ମଧ୍ୟ କୁହାଯାଏ । ଦଶହରା ମାସରେ ମାଟି ମାଇଲିକୁ କ୍ଷେତରେ ଚୋରୋ ମଧ୍ୟ ଦିଆଯାଏ।

ସେମିଯାତ୍ରା :- ଏହି ଯାତ୍ରା ପୌଷ(ପୁଷ) ମାସରେ ପାଳନ କରାଯାଏ । ଏହି ଯାତ୍ରାରେ  ଗାଁର ଦେବିଦେବତାଙ୍କ ଠାରେ ସେମି (ଝଟା ଝୁନଗା) କୁ ଲଗାଇ ପୂଜା କରାଯାଏ । ତାପରେ ହିଁ ସେମିକୁ ଖାଇଥାନ୍ତି ନଚେତ ଯାତ୍ରା ପୂର୍ବରୁ କେହିବି ସେମି ଖାଆନ୍ତି ନାହିଁ ।

ଚଇତ ଯାତ୍ରା :- ଦେବିଦେବତାଙ୍କ ଠାରେ ପ୍ରଥମେ ନୂତନ ଫଳ ମୂଳ ଅର୍ପଣ କରିବାର ପରମ୍ପରା ଆଦିମ କାଳରୁ ଚାଲିଆସୁଅଛି । ଏହି ଯାତ୍ରା ଚଇତ ମାସରେ ପାଳନ କରାଯାଏ । ଏହିମାସରେ ମିଳୁଥିବା ନୂଆ ଫଳ ଯଥା ଆମ୍ବ ,ଚାହାର,କେନ୍ଦୁ ,ମହୁଲତୁଣୀ ଆଦି ଦେବତାଙ୍କୁ ଦିଆଯାଏ । ଚଇତ ମାସରେ ଅଧିକାଂଶ ଦେବୀ ପୂଜା ହୋଇଥାଏ ତେଣୁ ଦେବୀମାନଙ୍କ ପ୍ରିୟ ଫୁଲ ଫଳଶା ଫୁଲ ଚଢାଯାଏ ।

ଦେଶ ଯାତ୍ରା :- ଗହକା ପ୍ରଗଣାର ପରବ ପର୍ବାଣି ମଧ୍ୟରୁ ଦେଶ ଯାତ୍ରାର ମହତ୍ଵ ଅଧିକ । ଦେଶ ଯାତ୍ରା ପୂର୍ବଜଙ୍କ ଦ୍ଵାରା ବହୁ ଆଗରୁ କରାଯାଉଥିଲ ବୋଲି ପ୍ରଗଣା ବିଭିନ ଲୋକଙ୍କ ଠାରୁ ଶୁଣିବାକୁ ମିଳେ । ଏହି ଯାତ୍ରାରେ ପ୍ରଗଣାର ସମସ୍ତ ଲୋକକୁ ଗୋଟିଏ ଜାଗାରେ ଏକତ୍ରିତ ହେବାର ଦେଖାଯାଏ । ଏହା ଦ୍ଵାରା ପ୍ରଗଣାର ସମସ୍ତ ଭାଇ ମାନଙ୍କ ମଧ୍ୟରେ ଭାଇଚାର ଓ ପ୍ରେମ ବଢିଥାଏ ଏବଂ ପ୍ରଗଣାର ବିଭିନ୍ନ ଅଞ୍ଚଳର ସୁବିଧା ଅସୁବିଧା ମଧ୍ୟ ଜାଣିହୁଏ ।

      ଦେଶଯାତ୍ରାର ସାତଦିନ ପୂର୍ବରୁ ସିସକେଲ ଗୌନ୍ତିଆ ଘରେ ବେଲଗା ,ଶିଶକେଲ ,ସିଂବାହାଳି ,ବିକବାହାଳି ଓ ଗଣ୍ଡପଦରଆଦି ଗାଁର ଲୋକ ଯାତ୍ରା କେବେ ହେବ ସ୍ଥିରକରିବେ ଏବଂ ଗଣ୍ଠିବାନ୍ଧିବେ । ଯେତେଦିନ ପରେ ଯାତ୍ରା ହେବ ସେତୋଟି ଗଣ୍ଠି ବାନ୍ଧିବେ । ଉକ୍ତ ଗଣ୍ଠିକୁ ପୂର୍ବରୁ ସ୍ଥିର କରାଯାଇଥିବା ଅନୁସାରେ ବେଲଗା ଗୌନ୍ତିଆ ଘରେ ପ୍ରଗଣାର ବିଭିନ୍ନ ଗାଁ କୁ ଗଣ୍ଠି ବୁଲାଇବେ ।    

     ଯାତ୍ରାର ପୂର୍ବଦିନ ଶିଶକେଲାରେ ଗାଁର ପୁଝାରି ମାଁ ସୁରୁଜମୁନୀ,ଘଣ୍ଟାସୂନୀ,ଚଣ୍ଡୀ ମହାଦେବ ,ଡୁମା,ଡହକା ଗୁଡ଼ିରେ ଉପାସ ବାରିବେ । ଏହିଦିନ ସମସ୍ତ ଦେବତମାନେ ଶିଶକେଲଗାଁ ମଧ୍ୟ ବୁଲିବେ

ତାପରଦିନ ମିଳିଥିବା ଗଣ୍ଠି ସରିଲେ ପ୍ରଗଣାର ସମସ୍ତ କନ୍ଧ ଗୌନ୍ତିଆଙ୍କ ଘରେ ଉପସ୍ଥିତ ହୋଇ ରୁଣ୍ଡହେବେ।ଗୌନ୍ତିଆ ଘରେ ସମସ୍ତଙ୍କୁ ସ୍ଵାଗତ କରିବେ ଓ ସେଠାରୁ ଯାତ୍ରା କାର୍ଯ୍ୟ ଆରମ୍ଭ ହେବ । ଉପସ୍ଥିତ ଦେଶକନ୍ଧ ଓ ଗାଁର ଯାନୀ ଝାକର ଗୌନ୍ତିଆଙ୍କ ଘରୁ ଝାପି ବାହାର କରନ୍ତି । ଝାପି ବାହାର କରିବା ସମୟରେ ଯାହାସବୁ ସାମଗ୍ରୀ ଲାଗେ ତାହାସବୁ ବେଲଗା ଝଙ୍କାର ଘରୁ ଆସେ । ତେଣୁ ଝାଙ୍କର ଘରୁ ଅକତା ଚାଉଳ ପୂଜାସାମଗ୍ରୀ ସହ ତିନି ପଟ କୁକୁଡା ଆସେ ଯାହା ଝାପିତଳେ ପୂଜା କରାଯାଏ । ପୂଜା ସରିବା ପରେ ଝାପିକୁ ବାହାରକୁ ଅଣାଯାଏ । ତାପରେ ସୁରୁଜମୁନୀ ଦେବୀ ଝାପି ଭିତରୁ ନିଜର ସାଜସଜ୍ଜାଜିନିଷ ଓ ଘଣ୍ଟ,ଶଙ୍ଖ ଆଦି ବାହାର କରିବା ସହ ଅନ୍ୟ ଚାରି ଦେବତାଙ୍କ ସାଜସଜ୍ଜା ବାହାର କରି ଦିଅନ୍ତି । ଉପସ୍ଥିତ ଲୋକଙ୍କୁ ସାଜସଜ୍ଜା ପିନ୍ଧାଇବା ଓ ଅନ୍ୟ ଦାୟିତ୍ଵ ମଧ୍ୟ ଦିଅନ୍ତି । ଏହି ଯାତ୍ରାରେ ଗୋଟିଏ ଜିନିଷ ଦେଖିବାକୁ ମିଳେ ଯେ ପର୍ବରେ କେବଳ ଗୋଟିଏ ଗାଁ ବା କେବଳ କନ୍ଧ କାର୍ଯ୍ୟ ତୁଲାଇଥାନ୍ତି ନହିଁ । ପୂର୍ବରୁ ସ୍ଥିର କରାଯାଇଥିବା ଅନୁସାରେ କନ୍ଧ ବ୍ୟତୀତ ଛତିଶପାଟକ ଲୋକ ମାନଙ୍କୁ ମଧ୍ୟ ବିଭିନ୍ନ ଦାୟିତ୍ଵ ଦିଆଯାଇଥିବାର ଦେଖାଯାଏ । ଏଣୁ ଶିଶକେଲର କୁମ୍ଭାର ଓ ଥୋଡିଆ ଘରେ ଦେବତା ମାନଙ୍କୁ ସାଜସଜ୍ଜା ପିନ୍ଧାଇଥାନ୍ତି ଯାହାକୁ ବାହାକିଆ କୁହାଯାଏ । ଏହିପରି ଭାବରେ ଶିଶକେଲ ଡମ୍ବ ଘରକୁ ସିନ୍ଦୁର ଆଣିବାର ଦାୟିତ୍ଵ,ଭଣ୍ଡାରି ଘରକୁ ପରି ମାପିବାର ଦୟିତ୍ଵ,ସିଲେଟପରା ର କନ୍ଧ (କୂଟିଆ ଗହକା) କୁ ଦେବିମାନଙ୍କର ଦୁଲି ବୋହିବାର ଦାୟିତ୍ଵ ମିଳିଛି । ଆବଶ୍ୟକସ୍ଥଳେ ପଟ ମାରିବା ବେଳେ ଦେଶଯାନୀ ଓ ବରାହମାଳ ଉମରା ଘରକୁ ୧ପଟ ମାରିବାର ଦାୟିତ୍ଵ ମିଳିଛି ।

      ପ୍ରତି ତିନିବର୍ଷରେ ଥରେ ଦେବୀମାନେ ପ୍ରଗଣାର ଗାଁଗୁଡିକୁ ମେଢ ବୁଲନ୍ତି । ନିଜର ଛତର ସହ ଦେବୀମାନେ ତିନି ବର୍ଷରେ ଥରେ ଉପର ଫାଲେ(ଉପରଚକ) ଓ ତିନିବର୍ଷ ପରେ ତଳଫାଲେ(ତଳଚକ) ମେଢ ବୁଲନ୍ତି । ଉପର ଚକ ରେ ଶିଶକେଲ, ବେଲଗା , ବିକବାହାଳି , ସିଲେଟପରା , ଚୋରମରା , ତରାସିଙ୍ଗ ବିଜେପୁର ରିଗଢୁଳ ଭାଲେଗା ମହଦା ଲୁଥୁରୁବନ୍ଧ ସିନାପାଲୀ ମାଥନପଲା ଗୁଖୁରୁଙ୍ଗ ଘୁଘୁରପଳା ଗଣପଦର ଲିମ୍ବପଡା ଚାନ୍ଦୁତରା ଆଦି ଗାଁ ବୁଲନ୍ତି । ତଳ ଚକରେ ବିନ୍ଧନବାହାଳି ଘୁଡାଉଠା ପିପୃଟ ଭୋରପଡା ଘଣ୍ଟବାହାଳି ନରାବାହାଳି ବରାହମାଳ ଯୁବାମାଳ ଖାସବାହାଲ ଦେଢେଲ ଉଳବା ଗାଁ ଆଦି ବୁଲନ୍ତି ଓ ଶେଷରେ ଶିଶକେଳାକୁ ଫେରନ୍ତି ।ସେଠାରୁ ପୁଣି ପ୍ରଥମେ ଚଣ୍ଡୀ ଦେବତାଙ୍କ ଗୁଡିକୁ ପ୍ରଥମେ ଯାଆନ୍ତି । ତେଣୁ ଶିଶକେଲ ଝାଙ୍କର ଘରକୁ ଯାଆନ୍ତି ଓ ସେଠାରୁ ପୂଜା ସାମଗ୍ରୀ ଧରି ଚଣ୍ଡୀ ଗୁଡିକୁ ପୂଜାକରି  ଯାଆନ୍ତି         

(ଆଗରୁ ଚଣ୍ଡୀ ମନ୍ଦିରରେ ଗୌନ୍ତିଆ ଘରେ ପୂଜାକରୁଥିଲେ କିନ୍ତୁ ଯେଉଁ ଦିନ ଶିଶକେଲ ଗାଁର ଗହକା କନ୍ଧ ବୁଡୁକା କନ୍ଧକୁ ବନ୍ଧୁ କରିବାକୁ ଆଣିଲେ ଓ ଚଣ୍ଡୀ ଦେବୀ କୁ ଭାଗ ଦେଲେ ଓ ଗାଁର ଝାଙ୍କର କଲେ ।ସେଦିନୁ କରି ଚଣ୍ଡୀ ଦେବୀକୁ ବୁଡୁକା କନ୍ଧ ପୂଜାଦିଏ ।)  ମାନସିକ କରିଥିବା ଲୋକ ମାନଙ୍କ ପାଇଁ ଚଣ୍ଡୀ ଗୁଡ଼ିରେ ବହୁତ ଭିଡ ହୁଏ ଓ ବଳି ମଧ୍ୟ ଅଧିକ ପଡେ । ଚଣ୍ଡୀ ଗୁଡିରୁ ଫେରି ପୁଣି ଗୌଣ୍ଟିଆଙ୍କ ଘରୁ   ସୁରୁଜମୁନୀ ଗୁଡିକୁ ଯାଆନ୍ତି । ଗୁଡ଼ିରେ ପୂଜା କରୁ କରୁ ରାତି ହୋଇଯାଏ । ରାତି ହେଲେ ଏବେ ମଧ୍ୟ ଆଗଭଳି ହୁଲା(ମଶାଲ)ର ବ୍ୟବହାର କରନ୍ତି । ପ୍ରତିବର୍ଷ ଏଗୁଡ଼ିରେ ମଧ୍ୟ ଅନେକ ଭକ୍ତଙ୍କ ଭିଡ ହୋଇଥାଏ ଓ ଶହ ଶହ ଛେଲି କୁକୁଡା ବଳି ଦିଆଯାଏ । ଏପରି ଭାବରେ ଗୁଡ଼ିରେ ସୁରୁଜମୁନୀ ଘଣ୍ଟାସୂନୀ ଡୁମା ଡହକା ଆଦି ସବୁ ଦେବତାଙ୍କ ପୂଜା ସରିଲେ ଘରକୁ ଫେରନ୍ତି । ତାପରେ ଘରେ ଛତର ମୁନ୍ଦାଯାଏ । ଛତର ମୁନ୍ଦା ସରିଲେ ଆସିଥିବା ଦେଶ କନ୍ଧମାନଙ୍କୁ ଶିଶକେଲ ଭଣ୍ଡାରି ଘରେ ଘଣ୍ଟରେ ଏକ ଘଣ୍ଟ ଚାଉଳ ଡାଲି ସରେଇ କାଠ ଛେଳିର ଫରିଆ ଆଦି ଭାଗଦେଇ ପରିବଣ୍ଟନ(ଖର୍ଚ୍ଛ ମାପିବା) କରି ବିଦାୟ ଦିଅନ୍ତି । ଏହିପରି ଭାବରେ ଦେଶ ଯାତ୍ରା ସମ୍ପନ୍ନ ହୋଇଥାଏ ।

     ଉପରୋକ୍ତ ସମସ୍ତ ପର୍ବ ପର୍ବାଣିକୁ ଲକ୍ଷ୍ୟ କଲେ ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେବାଯେ ଗହକା କନ୍ଧର ସମସ୍ତ ପର୍ବ ପର୍ବାଣି ପ୍ରକୃତି ଉପରେ ପର୍ଜ୍ୟବେଶିତ ଏବଂ ଅଧିକାଂଶ କୃଷିଭିତ୍ତିକ ଅଟେ । ଗହକା କନ୍ଧ ଭୂମିକର୍ଷଣ ଠାରୁ ଆରମ୍ଭ କରି ଧାନବୁଣା ଚରରୋପନ ଲଟାବଛା ଅମଳ ଓ ଅମଳ ପରେ ଭକ୍ଷଣ ପର୍ଯ୍ୟନ୍ତ ପର୍ବ ପାଳନ କରୁଥିବାର ଦେଖାଯାଏ । ଏମାନେ ସେସବୁକୁ ପର୍ବସହ ଯୋଡୁଛନ୍ତି ଯେଉଁ ଜିନିଷ ତାଙ୍କର ଦୈନଦିନ ଜୀବନ କୁ ପ୍ରଭାବିତ କରୁଛି । ଏମାନଙ୍କ ପର୍ବ ପାର୍ବଣୀ ପ୍ରକୃତିର ସମସ୍ତ ଉପାଦାନ ଯାହା ଜଗତର କଲ୍ୟାଣ କରୁଛି ସେସବୁକୁ  ସମ୍ମାନ କରିବା ଶିଖାଏ ।ପ୍ରକୃତିକୁ କିପରି ବଞ୍ଚାଇ ରଖି ହେବ ତାହା ଶିଖାଏ । ଏକତା ବା ସାମୁହିକତା ଦ୍ଵାରା  ମାନବ ସମାଜର ବିକାଶର ବାର୍ତ୍ତାବହ ଅଟେ । ଏମାନଙ୍କ ପର୍ବପର୍ବାଣି ଅନ୍ୟ ଜାତି ବା ଗୋଷ୍ଠୀ ସହ ଭାଇଚାରାରେ ରହିବା ଶିଖାଏ ।

@sanjya Gahanka